ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ଚାମ୍ବର ଅଫ କମର୍ସ (ଆଇସିସି)ର 95ତମ ବାର୍ଷିକ ପୂର୍ଣ୍ଣାଙ୍ଗ ଅଧିବେଶନର ଉଦ୍ଘାଟନୀ ସମାରୋହକୁ ଭିଡ଼ିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ।

କୋଭିଡ଼-19 ବିରୋଧରେ ଜାରି ରହିଥିବା ସଂଗ୍ରାମର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସମଗ୍ର ବିଶ୍ୱ ସହ କାନ୍ଧକୁ କାନ୍ଧ ମିଳାଇ ଭାରତ ଏହି ମହାମାରୀ ବିରୋଧରେ ତା’ର ଆପ୍ରାଣ ଲଢ଼େଇ ଜାରି ରଖିଛି । ସେ କହିଲେ ଯେ, ଦେଶ ଏବେ ଆହୁରି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି । ପଙ୍ଗପାଳ ଆକ୍ରମଣ, କରକାପାତ, ତୈଳ କୂପରେ ଅଗ୍ନିକାଣ୍ଡ, ଅନେକ ଗୁଡ଼ିଏ ଛୋଟ ଛୋଟ ଭୂମିକମ୍ପ ଏବଂ ଲଗାତାର ଦୁଇ ଦୁଇଟି ସାମୁଦ୍ରିକ ଝଡ଼ବାତ୍ୟା ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦେଶ ସାମଗ୍ରିକ ଭାବେ ସାମ୍ନା କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଏଭଳି ଜଟିଳ ସମୟ କିନ୍ତୁ ଭାରତକୁ ଅଧିକ ସୁଦୃଢ଼ କରିଛି । ସେ କହିଲେ ଯେ ଦୃଢ଼ ସଂକଳ୍ପ, ଇଚ୍ଛାଶକ୍ତି ଏବଂ ଐକ୍ୟବଦ୍ଧତା ହେଉଛି ଗୋଟିଏ ରାଷ୍ଟ୍ରର ସାମର୍ଥ୍ୟ ଯାହାକି ରାଷ୍ଟ୍ରକୁ ସବୁପ୍ରକାର ଜଟିଳ ସମସ୍ୟାର ସମ୍ମୁଖୀନ ହେବାକୁ ଶକ୍ତି ଯୋଗାଇଛି । ଯେକୌଣସି ସମସ୍ୟା ହେଉ ନା କାହିଁକି, ତାହା ଆମକୁ ପରୋକ୍ଷରେ ସୁଯୋଗ ଦେଇଥାଏ । ଆମେ ତାହାକୁ ଉପଯୋଗ କରି ଏକ ଆତ୍ମନିର୍ଭର ଭାରତ ନିର୍ମାଣ କରିପାରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ଦୀର୍ଘବର୍ଷରୁ ପ୍ରୟାସ କରିଆସୁଛି । “ବର୍ତ୍ତମାନ ସମୟ ଆସି ପହଞ୍ଚିଛି ଯେତେବେଳେ ଦେଶର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ଜିଲ୍ଲାକୁ ଆତ୍ମନିର୍ଭର ହେବାକୁ ପଡ଼ିବ” ବୋଲି ମତ ପୋଷଣ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଲେ ଯେ ଭାରତୀୟ ଅର୍ଥନୀତି ଏବେ “କମାଣ୍ଡ ଏବଂ କଣ୍ଟ୍ରୋଲ” ଅବସ୍ଥାରେ ରହିଛି । ତେଣୁ ତାହା “ପ୍ଲଗ୍ ଏବଂ ପ୍ଲେ” ମୋଡ଼ ଆଡ଼କୁ ଗତି କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଦୃଢ଼ ଏବଂ ନିର୍ଣ୍ଣାୟକ ନିବେଶ କରିବାର ସମୟ ଆସିଛି । ସେହିଭଳି ଆମକୁ ବୈଶ୍ୱିକ ପ୍ରତିଯୋଗିତାମୂଳକ ଘରୋଇ ଯୋଗାଣ ଶୃଙ୍ଖଳ ନିର୍ମାଣ ସକାଶେ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ସେଥିପାଇଁ ପାରମ୍ପରିକ ଓ ରକ୍ଷଣଶୀଳ କାର୍ଯ୍ୟଧାରା ପର୍ଯ୍ୟାପ୍ତ ହେବନାହିଁ । କେଉଁ କେଉଁ କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହୋଇପାରିବ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହାର ଏକ ସୂଚୀ ଉପସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ, “ଦେଶ ପାଇଁ ଆତ୍ମନିର୍ଭର ନୀତି ଏବଂ କାର୍ଯ୍ୟପନ୍ଥା ଅତିବ ଗୁରୁତ୍ୱପୂର୍ଣ୍ଣ । ଏବେ କରୋନା ବୈଶ୍ୱିକ ମହାମାରୀ ଆମକୁ ଏହି ମହାଶିକ୍ଷା ଦେଇଛି ଯେ କିଭଳି ଭାବେ ଏହାକୁ ତ୍ୱରାନ୍ୱିତ କରିବାକୁ ହେବ । “ଏହା ସେହି ମହାଶିକ୍ଷା- ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ ହୋଇସାରିଛି” ବୋଲି ଶ୍ରୀ ମୋଦୀ ମତ ପୋଷଣ କରିଥିଲେ ।

ଶ୍ରୀ ମୋଦୀ କହିଲେ ଯେ, ଭାରତକୁ ସମସ୍ତ ଉତ୍ପାଦନ କ୍ଷେତ୍ରରେ ଏକ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ । ଆମେ ଏବେ ବାଧ୍ୟ ହୋଇ ବିଦେଶରୁ ସେହିସବୁ ସାମଗ୍ରୀ ଆମଦାନୀ କରୁଛୁ । ଖୁଚୁରା ବ୍ୟବସାୟୀମାନଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଆମେ ଯେତେବେଳେ ସେମାନଙ୍କ ଠାରୁ କିଛି ସ୍ଥାନୀୟ ସାମଗ୍ରୀ କ୍ରୟ କରୁ, ସେତେବେଳେ ଆମେ କେବଳ ସେମାନଙ୍କୁ ତା’ର ମୂଲ୍ୟ ଦେଇନଥାଉ, ବରଂ ସେମାନଙ୍କର ଉତ୍ପାଦ ଓ ସେବା ପାଇଁ ମୂଲ୍ୟ ପ୍ରଦାନ କରିଥାଉ । ପୁଣି ସେମାନଙ୍କର ଅବଦାନକୁ ମଧ୍ୟ ପୁରସ୍କୃତ କରିଥାଉ ।

ସ୍ୱାମୀ ବିବେକାନନ୍ଦଙ୍କ ଏକ ବାଣୀକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ ଯେ, “ବର୍ତ୍ତମାନ ପରିସ୍ଥିତିରେ କାର୍ଯ୍ୟ କରିବାର ସବୁଠାରୁ ସରଳ ପଦ୍ଧତିଟି ହେଲା ଭାରତୀୟମାନଙ୍କୁ ସେମାନଙ୍କର ନିଜସ୍ୱ ଉତ୍ପାଦ ବ୍ୟବହାର କରିବା ଲାଗି ପ୍ରୋତ୍ସାହିତ କରନ୍ତୁ । ଅନ୍ୟ ରାଷ୍ଟ୍ରରେ ଭାରତୀୟ ଉତ୍ପାଦର ବଜାର ସୃଷ୍ଟି କରନ୍ତୁ ।” ସ୍ୱାମୀ ବିବେକାନନ୍ଦ ଆମକୁ ଏହି ପଥ ପ୍ରଦର୍ଶନ କରିଛନ୍ତି ଯାହାକି କୋଭିଡ଼ ପରବର୍ତ୍ତୀ ବିଶ୍ୱରେ ଭାରତ ପାଇଁ ଏକ ପ୍ରେରଣା ହେବ ।

ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ସରକାର ଘୋଷଣା କରିଥିବା ପ୍ରମୁଖ ସଂସ୍କାର ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସୂଚୀତ କରିଥିଲେ । ଏଥିରେ ଏମଏସଏମଇର ସଂଜ୍ଞା ଓ କାର୍ଯ୍ୟ ପରିସର ସଂପ୍ରସାରଣ, ଏମଏସଏମଇମାନଙ୍କୁ ସହଯୋଗ ପାଇଁ ସ୍ଵତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବା, ଆଇବିସି ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ, ପ୍ରକଳ୍ପ ବିକାଶ ସେଲ୍ ସୃଷ୍ଟି କରି ନିବେଶର ଧାରାକୁ ଟ୍ରାକିଂ କରିବା ଆଦି ଅନ୍ୟତମ ।

କୃଷି କ୍ଷେତ୍ର ପାଇଁ ନିକଟରେ ଗ୍ରହଣ କରାଯାଇଥିବା ନୀତିଗତ ନିଷ୍ପତ୍ତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ କୃଷି ଅର୍ଥନୀତିକୁ ଦୀର୍ଘବର୍ଷର ନିୟନ୍ତ୍ରଣ ପରେ ଏବେ ମୁକ୍ତ କରାଯାଇଛି । ବର୍ତ୍ତମାନ ଭାରତର କୃଷକମାନଙ୍କୁ ସେମାନଙ୍କର ଉତ୍ପାଦକୁ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିବାର ସ୍ୱାଧୀନତା ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ଥାନୀୟ ଉତ୍ପାଦ ସକାଶେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କ୍ଲଷ୍ଟର ଭିତ୍ତିକ କାର୍ଯ୍ୟପନ୍ଥା ସମସ୍ତଙ୍କୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଛି । ଏଥିସହ ସଂଶ୍ଳିଷ୍ଟ କ୍ଲଷ୍ଟରଗୁଡ଼ିକୁ କୃଷିଜୀବିମାନଙ୍କ ନିଜ ଜିଲ୍ଲାରେ ଓ ବ୍ଲକରେ ବିକାଶ କରାଯିବ, ଅର୍ଥାତ୍ ଯେଉଁ ଜିଲ୍ଲାରେ ସେମାନେ ଜନ୍ମଲାଭ କରିଛନ୍ତି ସେହିଠାରେ ହିଁ ସେମାନେ ନିଜର ବ୍ୟବସାୟ ବାଣିଜ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ କହିଲେ ଯେ “ଏଥିସହ, ବାଉଁଶ ଓ ଜୈବିକ ଉତ୍ପାଦ ପାଇଁ କ୍ଲଷ୍ଟର ବିକାଶିତ କରାଯିବ । ସିକିମ ଭଳି ସମଗ୍ର ଉତ୍ତର ପୂର୍ବାଞ୍ଚଳକୁ ଜୈବ ଫାର୍ମିଂର ପେଣ୍ଠସ୍ଥଳୀରେ ପରିଣତ କରାଯାଇ ପାରିବ ।” ସେ କହିଲେ ଯେ ଜୈବିକ କୃଷି କ୍ଷେତ୍ରରେ ଉତ୍ତର ପୂର୍ବାଞ୍ଚଳରେ ଏକ ବିରାଟ ଆନ୍ଦୋଳନ ସୃଷ୍ଟି କରାଯାଇପାରିବ । ଯଦି ଏହାକୁ ବୈଶ୍ୱିକ ପରିଚୟ ପ୍ରଦାନ କରାଯାଇପାରିବ ତେବେ ଏହା ବିଶ୍ୱ ବଜାରକୁ ଅକ୍ତିଆର କରିପାରିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଉତ୍ପାଦନ କ୍ଷେତ୍ରରେ ବଙ୍ଗର ଐତିହାସିକ ପ୍ରାଧାନ୍ୟର ପୁନରୁତ୍ଥାନ ଘଟାଇବାକୁ ପଡ଼ିବ । “ବଙ୍ଗ ଯାହା ଆଜି ଚିନ୍ତା କରିଥାଏ, ଭାରତ ତାହା ଆସନ୍ତାକାଲି ଭାବିଥାଏ” ଉକ୍ତିରୁ ପ୍ରେରଣା ଆହରଣ କରି ଶିଳ୍ପକୁ ଆଗେଇ ନିଆଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଲେ ଯେ ଜନ, ପୃଥିବୀ ଏବଂ ଲାଭ ପରସ୍ପର ସହ ସଂଶ୍ଳିଷ୍ଟ । ଏହି ତିନୋଟି ଯାକ ପ୍ରସଙ୍ଗ ସମାନ ଭାବେ ସହାବସ୍ଥାନ କରିପାରିବେ ଏବଂ ପ୍ରଗତି କରିପାରିବେ । ଏ ସଂପର୍କରେ ବିଶଦ୍ ଭାବେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଗୋଟିଏ ଉଦାହରଣର ଅବତାରଣା କରିଥିଲେ । ସେ କହିଲେ ଯେ ଏଲଇଡ଼ି ବଲ୍ବର ମୂଲ୍ୟ ଛଅ ବର୍ଷ ତଳେ ଯାହା ଥିଲା, ସେଥିରେ ହ୍ରାସ କରାଯାଇଛି । ଫଳରେ ପ୍ରତିବର୍ଷ ବିଜୁଳି ବିଲରେ 19 ହଜାର କୋଟି ଟଙ୍କା ସଞ୍ଚୟ କରାଯାଇପାରିଛି । ଅର୍ଥାତ୍, ସେହି ଲାଭ ଉଭୟ ଜନତା ଏବଂ ପୃଥିବୀକୁ ମିଳିପାରିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ସେହିଭଳି ସରକାରଙ୍କ ଦ୍ୱାରା ଗତ ପାଞ୍ଚ ଛଅ ବର୍ଷ ଭିତରେ ଗ୍ରହଣ କରାଯାଇଥିବା ଅନେକ ଯୋଜନା ଓ କାର୍ଯ୍ୟକ୍ରମ ଜନତା ତଥା ପୃଥିବୀ ଉଭୟଙ୍କ ପାଇଁ ଲାଭପ୍ରଦ ବୋଲି ସାବ୍ୟସ୍ତ ହୋଇଛି । ଏବେ ଦେଶବାସୀ ଜଳପଥ ଦ୍ୱାରା ବିଶେଷ ଭାବେ ଉପକୃତ ହୋଇପାରିଛନ୍ତି । ଏହା କିଭଳି ଲଜିଷ୍ଟିକ୍ସ ବ୍ୟୟ କମାଇଛି ଓ କମ୍ ଇନ୍ଧନ ଦ୍ୱାରା ଲୋକମାନଙ୍କୁ ଓ ପୃଥିବୀକୁ ଉପକୃତ କରାଇଛି ତାହା ବିଚାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ବିକାଶ ପ୍ରସଙ୍ଗର ଅବତାରଣା କରି ପ୍ରଧାନମନ୍ତ୍ରୀ ଏକ ଉଦାହରଣ ଦେଇ କହିଲେ ଯେ ଦେଶକୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିପଦରୁ ମୁକ୍ତ କରିବାକୁ ପଡ଼ିବ । ସେ କହିଲେ ଯେ ଏହା ପଶ୍ଚିମବଙ୍ଗକୁ ଝୋଟ ବ୍ୟବସାୟରେ ବିଶେଷ ଭାବେ ସହାୟକ ହେବ । ତେଣୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ଯେ ଶିଳ୍ପ ସଂସ୍ଥାମାନେ ଏହି ସୁଯୋଗରୁ ଅଧିକ ଫାଇଦା ନେବାକୁ ଆଗେଇ ଆସିବା ଉଚିତ । ପ୍ରଧାନମନ୍ତ୍ରୀ କହିଲେ ଯେ ସମସ୍ତ ପ୍ରକାର ବିକାଶ ପ୍ରକ୍ରିୟା ଜନ କୈନ୍ଦ୍ରିକ, ଜନତାଙ୍କ ଦ୍ୱାରା ଏବଂ ବିଶ୍ୱ କଲ୍ୟାଣଧର୍ମୀ ହେବା ଆବଶ୍ୟକ । ଏବେ ଦେଶର ଶାସନ ଧାରା ସେହି ଭାବଧାରା ଦ୍ୱାରା ଅନେକାଂଶରେ ପରିଚାଳିତ । “ଆମର ବୈଷୟିକ ହସ୍ତକ୍ଷେପ ମଧ୍ୟ ଜନତା, ପୃଥିବୀ ଓ ଲାଭ ଚିନ୍ତାଧାରା ସହ ସମବର୍ତ୍ତୀ ହେବା ଆବଶ୍ୟକ” ବୋଲି ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ବ୍ୟାଙ୍କ ସେବାକୁ ୟୁପିଆଇ ମାଧ୍ୟମରେ ଏବେ ସ୍ପର୍ଶମୁକ୍ତ, ସଂଯୋଗମୁକ୍ତ, ନଗଦହିନ ଏବଂ 24 x 7 କରାଯାଇଛି । ଭିମ୍ ଆପରେ ହେଉଥିବା କାରବାର ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି । ରୁପେ କାର୍ଡ଼ ଏବେ ଗରିବ, କୃଷକ, ମଧ୍ୟମ ବର୍ଗ ଓ ଦେଶର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ସବୁଠାରୁ ଅଧିକ ପସନ୍ଦ ଯୋଗ୍ୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଥିଲେ ଯେ ରୁପେ କାର୍ଡ଼କୁ ବ୍ୟବହାର କରି ଏକ ଆତ୍ମ ନିର୍ଭର ଭାରତ ସୃଷ୍ଟି କରିବା ଦିଗରେ ସମସ୍ତେ ବ୍ରତୀ ହେବା ଉଚିତ । ସେ କହିଲେ ଯେ ବର୍ତ୍ତମାନ ଦେଶର ବ୍ୟାଙ୍କିଙ୍ଗ୍ ସେବା ଦରିଦ୍ରତମ ଲୋକଙ୍କ ନିକଟରେ ପହଞ୍ଚି ସାରିଛି । ଏହା ଦେଶର ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ଆବଶ୍ୟକ ସମର୍ଥନ ଓ ସେବା ଯୋଗାଇ ପାରିଛି ତଥା ଡିବିଟି ଏବଂ ଜେଏଏମ (ଜନଧନ ଆଧାର ମୋବାଇଲ)ପ୍ରଚାଳନ କାରଣରୁ ବାଟମାରଣା ସଂପୂର୍ଣ୍ଣ ରୂପେ ରୋକାଯାଇ ପାରିଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ ପୂର୍ବକ କହିଲେ ଯେ କ୍ଷୁଦ୍ର ସ୍ୱୟଂ ସହାୟକ ଗୋଷ୍ଠୀ, ଏମଏସଏମଇ ମାନେ ସେମାନଙ୍କର ସାମଗ୍ରୀ ଓ ସେବାକୁ ପ୍ରତ୍ୟକ୍ଷ ଭାବେ ଭାରତ ସରକାରଙ୍କ ଜିଇଏମ ପ୍ଲାଟଫର୍ମରେ ଦେଇ ଲାଭବାନ ହୋଇପାରିବେ ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଜଣାଇ କହିଥିଲେ ଯେ, ଗବେଷଣା ଓ ବିକାଶ ଉପରେ ଶିଳ୍ପସଂସ୍ଥାମାନେ ଅଧିକ ନିବେଶ କରିବା ଉଚିତ । ଯଦି ଦେଶରେ ଉନ୍ନତ ମାନର ବ୍ୟାଟେରୀ ଉତ୍ପାଦନ କରାଯାଇପାରିବ ତେବେ ତାହା ଶକ୍ତି ସଂଚୟ କ୍ଷମତାକୁ ବୃଦ୍ଧି କରିବ ଏବଂ ଦେଶରେ ସୌର ପାନେଲ କ୍ଷମତା ବୃଦ୍ଧି ପାଇବ । ଏମଏସଏମଇକୁ ହାତ ଧରି ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ । ଯେଉଁମାନେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ତାହା କରିବାକୁ ସେ ପରାମର୍ଶ ଦେଇଥିଲେ ।

ଗୁରୁଦେବ ଟାଗୋରଙ୍କ ପ୍ରସିଦ୍ଧ କବିତା “ନୂତନ ଯୁଗେର ଭୋର”ର ପଂକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଲେ ଯେ ଶିଳ୍ପସଂସ୍ଥାମାନେ ବର୍ତ୍ତମାନର ଚାଲେଞ୍ଜ ପରିସ୍ଥିତିରେ ଥିବା ସୁଯୋଗକୁ ବୁଝିବା ଆବଶ୍ୟକ । କେବଳ ଆଗକୁ ବଢ଼ୁଥିବା ପାଦ ହିଁ ନୂତନ ପଥର ସନ୍ଧାନ କରିପାରେ । ଏଥିରେ ଆଦୌ ବିଳମ୍ବ କରିବା ଅନୁଚିତ ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଇସିସିର ପୂର୍ବ ଭାରତ ତଥା ଉତ୍ତର ପୂର୍ବାଞ୍ଚଳରେ ଶିଳ୍ପ ବିକାଶ ପାଇଁ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *