ଭୁବନେଶ୍ୱର: ରାଜ୍ୟରେ ପୁଣି ୪୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି । ନୂତନ ଭାବେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ସର୍ବାଧିକ ୧୬ ଜଣ ରହିଛନ୍ତି । ସମସ୍ତ ଆକ୍ରାନ୍ତ କ୍ୱାରେଣ୍ଟାଇନରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ଜଣ ପଶ୍ଚିମବଙ୍ଗ ଫେରନ୍ତା, ୪ଜଣ ଆନ୍ଧ୍ର, ୪ଜଣ ଅହମ୍ମଦାବାଦ ଓ ଜଣେ ତେଲେଙ୍ଗାନା ଫେରନ୍ତା ।

ସେହିପରି ଗଞ୍ଜାମରୁ ଚିହ୍ନଟ ହୋଇଥିବା ୧୫ଜଣଙ୍କ ମଧ୍ୟରୁ ୧୪ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ଜଣେ ବାଙ୍ଗାଲୋରରୁ ଫେରିଥିଲେ । କେନ୍ଦ୍ରାପଡାର ଚିହ୍ନଟ ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ ଖୋର୍ଦ୍ଧାର ଚିହ୍ନଟ ବ୍ୟକ୍ତି ଜଣକ ସୁରତ ଫେରନ୍ତା । ସେହିପରି କଟକର ପଜିଟିଭ୍ ଚିହ୍ନଟ ବ୍ୟକ୍ତି ଜଣକ ମହାରାଷ୍ଟ୍ର ଫେରନ୍ତା ହୋଇଥିବା ବେଳେ ବୌଦ୍ଧର ଚିହ୍ନଟ ବ୍ୟକ୍ତି ଜଣକ ସୁରତ ଫେରନ୍ତା । ବଲାଙ୍ଗିରର ଚିହ୍ନଟ ବ୍ୟକ୍ତି ଦୁଇଜଣଯାକ ସୁରତରୁ ଫେରିଥିବା ବେଳେ ନୟାଗଡ଼ରୁ ଚିହ୍ନଟ ହୋଇଥିବା ସମସ୍ତ ତିିନିଜଣ ବ୍ୟକ୍ତି ଅହମ୍ମଦାବାଦରୁ ଫେରିଥିଲେ । କନ୍ଧମାଳର ଚିହ୍ନଟ ବ୍ୟକ୍ତି ଦ୍ୱୟ ତାମିଲନାଡୁରୁ ଫେରିଥିବା ବେଳେ ପୁରୀରୁ ଚିହ୍ନଟ ୪ଜଣଙ୍କ ମଧ୍ୟରୁ ଦୁଇଜଣ ତାମିଲନାଡୁ, ଜଣେ ଆନ୍ଧ୍ର ଓ ଜଣେ ସ୍ଥାନୀୟ ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଏହି ନୂତନ କରୋନା ରୋଗୀ ଚିହ୍ନଟ ଫଳରେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି ଓ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୭ ହୋଇଛି । ସେହିପରି ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଛୁଇଁଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ବି ୬୫୨ଜଣ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Leave a Reply

Your email address will not be published. Required fields are marked *