ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ଓଡ଼ିଶାର ବାତ୍ୟା ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିକୁ ଭୁୟସୀ ପ୍ରଶଂସା କରିଛନ୍ତି । ଏହା ସହ ଓଡ଼ିଶା ପାଇଁ ୫ଶହ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଓଡ଼ିଶାର ବାତ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରାୟ ଦେଢ଼ଘଣ୍ଟାକାଳ ବାତ୍ୟାଞ୍ଚଳ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ ।

ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ବାତ୍ୟାର କ୍ଷୟକ୍ଷତି ସଂପର୍କରେ ଆଲୋଚନା ମଧ୍ୟ କରିଥିଲେ । ଏହା ପରେ ସେ ଏହି ୫ଶହ କୋଟି ଟଙ୍କାର ତୁରନ୍ତ ସହାୟତା ରାଶି ଘୋଷଣା କରିବା ସହ କ୍ଷୟକ୍ଷତିର ଆକଳନ ପାଇଁ ଖୁବ ଶୀଘ୍ର କେନ୍ଦ୍ରୀୟ ଟିମ୍ ଆସିବେ ବୋଲି ସୂଚନା ଦେଇଥିଲେ । ସଠିକ ଭାବେ ରାଜ୍ୟ ସରକାର ବାତ୍ୟାର ପରିଚାଳନା କରିଥିବାରୁ ରାଜ୍ୟସରକାରଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । କରୋନା ସମୟରେ ଏପରି ବାତ୍ୟା ନିଶ୍ଚିତ ଭାବେ ଦୁଃଖ ଦାୟକ ବୋଲି ସେ କହିଥିଲେ ।

ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଭୁବନେଶ୍ୱର ବିମାନବନ୍ଦରର ସମ୍ମିଳନୀ କକ୍ଷରେ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ବାତ୍ୟାଞ୍ଚଳ ପରିଦର୍ଶନ ପରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗକୁ ମଧ୍ୟ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *